ଭୁବନେଶ୍ବର : ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗ୍ର ଓଜନ ଦେଢ଼ କେଜିରୁ ୫ କେଜି ମଧ୍ୟରେ ରହିବ। ଏହାଠାରୁ ଅଧିକ ହେଲେ ସମ୍ପୃକ୍ତ ବିଦ୍ୟାଳୟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୨୦୧୯ରେ ରାଜ୍ୟ ସରକାର ଏନେଇ ନିର୍ଦେଶାବଳୀ ଜାରି କରିଥିଲେ। ଏହାକୁ ଏବେ ପାଳନ କରାଯାଉନି। ସ୍କୁଲ ବ୍ୟାଗ୍ ନୀତି ମଧ୍ୟ ଅନୁପାଳନ ହେଉନଥିବାରୁ ଅଯଥାରେ ପିଲା କାନ୍ଧରେ ବସ୍ତାନି ବୋଝ ବୋହି ବିଦ୍ୟାଳୟ ଯାଉଛନ୍ତି। ଏବେ ପୁଣିଥରେ ପିଲାଙ୍କ ବସ୍ତାନି ବୋଝ କମାଇବାକୁ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ୨୦୧୯ ମସିହାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦେଶାବଳୀକୁ କାର୍ଯ୍ୟକାରୀ କରିବାକୁ ଓସେପା ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦେଶ ଦିଆଯାଇଛି। ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ ବିଦ୍ୟାଳୟରେ ଉକ୍ତ ନିର୍ଦେଶାବଳୀର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ସହ ୩ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ବିବରଣୀ (ଏଟିଆର) ପ୍ରଦାନ କରିବାକୁ କୁହାଯାଇଛି।

